ସେ
ସେ ହସିବାକୁ ଚେଷ୍ଟା କରେ
ଅଧଚିପା ଅଧର ଉହାଡୁ,
ତା ଆଖି ଥରିଗଲେ କଥା ସରେ
ଏ ଆଖିର ଯେତେ ତେରେଛା ଚାହାଣୀ
ସେ ନଚାହିଁବି ସବୁ ଧରାପଡେ ।
ନଇଁ ନଇଁ ଆସିଯାଏ ସଞ୍ଜ
ଢଳିଲା ଆଖି ତା'ର ଲାଜେ ମୁଦିଲା ପରେ,
ତା' ନିରବତା ହିଁ ଶବ୍ଦିଳ ଇଲାକା
ମୁଁ ପାଏ କବିତାର ଖୋରାକ ସେଠୁ
ମୋ କଲମ ତା' ଶବ୍ଦ ବିନା ଏକା ।
ଅଧ ଝୁଣ୍ଟା ପାଦ ଯୋଡେ ତା'ର
ଚାଲୁଥାଏ ଝାଡିଝୁଡ଼ି ହୋଇ,
ତା ' ଆସିବାରେ ମୋ ସାତ ଜନ୍ମ ସୁଖ
ମୋ ଆଖି ନଇଁଯାଏ ତା ' ପାଦ ଆଡେ
ଧୀରେ ଧୀରେ ଗଡିଚାଲେ ମୋ ଜୀବନ ଚକ ।
କଥା ସବୁ ଝରିପଡୁଥାଏ
ତା ' ଓଠରୁ ବସନ୍ତ କୁସୁମ ପରି ,
ସେ କହିଦେଲେ ଶୁଣେ ମୁକ୍ତିର ପୂରବୀ
ଅମୃତ ବୁନ୍ଦା ତା ଶଦ୍ଦୁ ପଡ଼େ ଝରି
ଫିକ୍ କରି ହସିଦେଲେ
ଏ ଛାତିରେ ବାଜେ ପ୍ରେମର ଦୁନ୍ଦୁଭି ।